इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨

ଆମକୁ ଯିହୋବାଙ୍କ ସାକ୍ଷୀ କାହିଁକି କୁହାଯାଏ ?

ଆମକୁ ଯିହୋବାଙ୍କ ସାକ୍ଷୀ କାହିଁକି କୁହାଯାଏ ?

ନୋହ

ଅବ୍ରହାମ ଏବଂ ସାରା

ମୋଶା

ଯୀଶୁ ଖ୍ରୀଷ୍ଟ

ଅନେକ ଲୋକ ଭାବନ୍ତି ଯେ ଯିହୋବାଙ୍କ ସାକ୍ଷୀ ଏକ ନୂଆ ଧର୍ମ ଅଟେ । କିନ୍ତୁ ବାଇବଲରୁ ଜଣାପଡ଼େ ଯେ ଆଜିଠାରୁ ପ୍ରାୟ ୨,୭୦୦ ବର୍ଷ ପୂର୍ବେ ଏକମାତ୍ର ସତ୍ୟ ଈଶ୍ୱରଙ୍କ ଉପାସକମାନଙ୍କୁ “ସାକ୍ଷୀ” ବୋଲି କୁହାଯାଇଥିଲା । (ଯିଶାଇୟ ୪୩:୧୦-୧୨) ଆମେ ୧୯୩୧ ମସିହାରେ ଯିହୋବାଙ୍କ ସାକ୍ଷୀ ନାମ ଧାରଣ କଲୁ । ଏହା ପୂର୍ବରୁ ଆମେ ବାଇବଲ ବିଦ୍ୟାର୍ଥୀ ନାମରେ ପରିଚିତ ଥିଲୁ । ଯିହୋବାଙ୍କ ସାକ୍ଷୀ ନାମ ଆମେ କାହିଁକି ଧାରଣ କଲୁ ?

ଏହି ନାମରୁ ଜଣାପଡ଼େ ଯେ ଆମେ କେଉଁ ଈଶ୍ୱରଙ୍କୁ ଉପାସନା କରୁ । ପ୍ରାଚୀନ ହସ୍ତଲିପିଗୁଡ଼ିକ ଅନୁସାରେ ଈଶ୍ୱରଙ୍କ ନାମ ଯିହୋବା ବାଇବଲରେ ପ୍ରାୟ ୭,୦୦୦ ଥର ଆସେ । କିନ୍ତୁ ବାଇବଲର ଅନେକ ଅନୁବାଦରେ ଏହି ନାମ ପରିବର୍ତ୍ତେ ସଦାପ୍ରଭୁ କିମ୍ବା ଈଶ୍ୱର ଭଳି ଉପାଧିଗୁଡ଼ିକ ବ୍ୟବହାର କରାଯାଇଛି । କିନ୍ତୁ ପ୍ରାଚୀନ ସମୟରେ ଯେତେବେଳେ ସତ୍ୟ ଈଶ୍ୱର ନିଜ ନାମ ଯିହୋବା ବୋଲି ମୋଶାଙ୍କୁ ପରିଚୟ ଦେଲେ, ସେ କହିଲେ: “ଆମ୍ଭର ଏହି ନାମ ଅନନ୍ତକାଳସ୍ଥାୟୀ ।” (ଯାତ୍ରାପୁସ୍ତକ ୩:୧୫) ଏହିପରି ଭାବରେ ଯିହୋବା ନିଜକୁ ଅନ୍ୟ ମିଥ୍ୟା ଦେବତାଙ୍କଠାରୁ ଅଲଗା କଲେ । ଈଶ୍ୱରଙ୍କ ପବିତ୍ର ନାମ ଧାରଣ କରୁଥିବାରୁ ଆମେ ନିଜକୁ ଗର୍ବ ଅନୁଭବ କରିଥାଉ ।

ଏହି ନାମରୁ ଆମ ଉଦ୍ଦେଶ୍ୟ ବିଷୟରେ ଜଣା ପଡ଼େ । ପ୍ରାଚୀନ ସମୟରୁ ଅନେକ ଲୋକ ଯିହୋବାଙ୍କ ଉପରେ ନିଜ ବିଶ୍ୱାସ ବିଷୟରେ ପ୍ରଚାର କରିଆସୁଛନ୍ତି । ନମ୍ର ହେବଲ ଏହାର ଆରମ୍ଭ କରିଥିଲେ । ତାʼପରେ ନୋହ, ଅବ୍ରହାମ, ସାରା, ଦାଉଦ ଏବଂ ଆହୁରି ଅନେକେ ଏହି “ବୃହତ୍‌ ମେଘ ତୁଲ୍ୟ ସାକ୍ଷୀମାନଙ୍କ” ମଧ୍ୟରେ ସାମିଲ୍‌ ହେଲେ । (ଏବ୍ରୀ ୧୧:୪–୧୨:୧) ଯେପରି ନିର୍ଦ୍ଦୋଷ ବ୍ୟକ୍ତିଙ୍କ ସପକ୍ଷରେ ସାକ୍ଷ୍ୟ ଦେବା ଜଣେ ସାକ୍ଷୀର କର୍ତ୍ତବ୍ୟ ଅଟେ, ଠିକ୍‌ ସେହିପରି ଆମ ଈଶ୍ୱର ଯିହୋବାଙ୍କ ପକ୍ଷରେ ସାକ୍ଷ୍ୟ ଦେବା ଆମର କର୍ତ୍ତବ୍ୟ ଅଟେ । ଆମେ ଦୃଢ଼ ସଂକଳ୍ପ କରିଛୁ ଯେ ଯିହୋବାଙ୍କ ବିଷୟରେ ଲୋକଙ୍କୁ ସତ୍ୟ କହିବାରେ ପଛଘୁଞ୍ଚା ହେବୁ ନାହିଁ ।

ଆମେ ଯୀଶୁଙ୍କୁ ଅନୁକରଣ କରୁଛୁ । ବାଇବଲ ଯୀଶୁଙ୍କୁ “ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ” କହେ । (ପ୍ରକାଶିତ ବାକ୍ୟ ୩:୧୪) ଯୀଶୁ ନିଜେ କହିଥିଲେ, ‘ମୁଁ ଈଶ୍ୱରଙ୍କ ନାମ ଜଣାଇଛି’ ଏବଂ ଈଶ୍ୱରଙ୍କ ବିଷୟରେ “ସତ୍ୟ ପକ୍ଷରେ ସାକ୍ଷ୍ୟ ଦିଏ ।” (ଯୋହନ ୧୭:୨୬; ୧୮:୩୭) ସେ ଯିହୋବାଙ୍କ ସବୁଠାରୁ ବଡ଼ ସାକ୍ଷୀ, ତେଣୁ ଯୀଶୁଙ୍କ ପ୍ରକୃତ ଶିଷ୍ୟମାନଙ୍କୁ ଯିହୋବାଙ୍କ ନାମ ଧାରଣ କରିବା ଏବଂ ଅନ୍ୟମାନଙ୍କୁ ଏହି ନାମ ବିଷୟରେ କହିବା ଉଚିତ୍‌ । ଯିହୋବାଙ୍କ ସାକ୍ଷୀମାନେ ଏହା ହିଁ କରିବାକୁ ଚେଷ୍ଟା କରନ୍ତି ।

  • ବାଇବଲ ବିଦ୍ୟାର୍ଥୀମାନେ ଯିହୋବାଙ୍କ ସାକ୍ଷୀ ନାମ କାହିଁକି ଧାରଣ କଲେ ?

  • ଯିହୋବାଙ୍କ ସେବକମାନେ କେବେଠାରୁ ତାଙ୍କ ବିଷୟରେ ସାକ୍ଷ୍ୟ ଦେବା ଆରମ୍ଭ କଲେ ?

  • ଯିହୋବାଙ୍କ ସବୁଠାରୁ ବଡ଼ ସାକ୍ଷୀ କିଏ ?